ଈଶ୍ୱରଙ୍କ ପଲର ପ୍ରତିପାଳନ
୧ ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି, ୨ ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର; ୩ ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର । ୪ ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ । ୫ ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି । ୬ ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; ୭ ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି । ୮ ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; ୯ ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । ୧୦ ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ । ୧୧ ପରାକ୍ରମ ଯୁଗେ ଯୁଗେ ତାହାଙ୍କର । ଆମେନ୍‍ ।
ଶେଷ ସମ୍ଭାଷଣ
୧୨ ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ। ୧୩ ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲୋନସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ୧୪ ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ ।