୧ ଯେତେ ଲୋକ ଦାସତ୍ୱରୂପ ଯୁଆଳିର ଅଧିନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ୱରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ । ୨ ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।
ଭ୍ରାନ୍ତ ଶିକ୍ଷା ଏବଂ ଧନଲୋଭ
୩ କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ, ୪ ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ,ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ, ୫ ପୁଣି, ଯେଉଁମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ । ୬ ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; ୭ କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ , ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; ୮ ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । ୯ ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ । ୧୦ କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି ।
ଶେଷ ପରାମର୍ଶ -ବିଶ୍ୱାସର ଉତ୍ତମ ଯୋଦ୍ଧା
୧୧ କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ । ୧୨ ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ । ୧୩ ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ପୁଣି, ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି, ୧୪ ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି କଳଙ୍କ ଶୂନ୍ୟ ଓ ଅନିନ୍ଦନୀୟ ହୋଇ ରୁହ । ୧୫ ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ୧୬ ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ । ୧୭ ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି, ୧୮ ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ୧୯ ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି । ୨୦ ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ; ୨୧ କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।