The Book of Prophet
Amos
ଆମୋଷ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
୧ ଯିହୁଦାର ରାଜା ଉଷୀୟର ଅଧିକାର ସମୟରେ ଓ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ଅଧିକାର ସମୟରେ, ଭୂମିକମ୍ପର ଦୁଇ ବର୍ଷର ପୂର୍ବରେ ତକୋୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋଷ ଇସ୍ରାଏଲ ବିଷୟରେ ଯେଉଁ ଯେଉଁ ଦର୍ଶନ ପାଇଲେ, ତଦ୍‍ବିଷୟକ ତାଙ୍କର ବାକ୍ୟ।
୨ ପୁଣି ସେ କହିଲେ,
“ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ;
ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ
ଓ କର୍ମିଲର ଶିଖର ଶୁଷ୍କ ହେବ।”
ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ଈଶ୍ୱରଙ୍କ ବିଚାର
୩ ସଦାପ୍ରଭୁ ଏହି କଥା କହନ୍ତି,
“ଆମ୍ଭେ ଦମ୍ମେଶକର ତିନି, ହଁ, ଚାରି ଅପରାଧ ସକାଶୁ
ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ ଯନ୍ତ୍ରରେ
ଗିଲୀୟଦକୁ ମର୍ଦ୍ଦନ କରିଅଛନ୍ତି;
୪ ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା
ଓ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।
୫ ପୁଣି, ଆମ୍ଭେ ଦମ୍ମେଶକର ଅର୍ଗଳ ଭାଙ୍ଗି ପକାଇବା
ଓ ଆବନ ଉପତ୍ୟକାରୁ ନିବାସକାରୀକୁ
ଓ ବେଥ୍-ଏଦନ ବଂଶରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା।”
ପୁଣି, ସଦାପ୍ରଭୁ କହନ୍ତି,
“ଅରାମର ଲୋକମାନେ ନିର୍ବାସିତ ହୋଇ କୀର୍‍କୁ ଯିବେ।”
୬ ସଦାପ୍ରଭୁ ଏହି କଥା କହନ୍ତି,
“ଆମ୍ଭେ ଘସାର ତିନି, ହଁ, ଚାରି ଅପରାଧ ସକାଶୁ
ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ
ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇ ଗଲେ।
୭ ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା
ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।
୮ ଆଉ, ଆମ୍ଭେ ଅସ୍‍ଦୋଦରୁ ନିବାସକାରୀକୁ
ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା;
ଆମ୍ଭେ ଇକ୍ରୋଣ ସହରର ବିପକ୍ଷରେ ଆପଣା ହସ୍ତ ଫେରାଇବା
ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ।”
ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
୯ ସଦାପ୍ରଭୁ ଏହି କଥା କହନ୍ତି,
“ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ
ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ
ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ;
୧୦ ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା
ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।”
୧୧ ସଦାପ୍ରଭୁ ଏହି କଥା କହନ୍ତି,
“ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ
ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା,
ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା।
୧୨ ମାତ୍ର ଆମ୍ଭେ ତୈମନ୍‍ ଉପରେ ଅଗ୍ନି ନିକ୍ଷେପ କରିବା
ଓ ତାହା ବସ୍ରାର ଅଟ୍ଟାଳିକାସବୁ ଗ୍ରାସ କରିବ।”
୧୩ ସଦାପ୍ରଭୁ ଏହି କଥା କହନ୍ତି,
“ଆମ୍ଭେ ଅମ୍ମୋନ ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ
ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ
ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି।
୧୪ ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା
ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ
ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।
୧୫ ପୁଣି, ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ
ଏକ ସଙ୍ଗେ ନିର୍ବାସିତ ହୋଇଯିବେ।”
ଏହା ସଦାପ୍ରଭୁ କହନ୍ତି।