୧୨
୧ ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର;
ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ,
“ଏହିସବୁରେ ମୋହର କିଛି ସୁଖ ନାହିଁ, ସେହିସବୁ ବର୍ଷ ସନ୍ନିକଟ ହେଉଅଛି।”
୨ ସେହି ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବେ,
ପୁଣି ବୃଷ୍ଟି ଉତ୍ତାରେ ପୁନର୍ବାର ମେଘ ହେବ;
୩ ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ
ଓ ବଳବାନ ଲୋକେ ଆପେ ନତ ହେବେ
ଓ ପେଷିକାମାନେ ଅଳ୍ପ ହେବାରୁ କର୍ମରୁ ନିବୃତ୍ତ ହେବେ,
ପୁଣି ଝରକାରେ ଦୃଷ୍ଟିକାରିଣୀମାନେ ଅନ୍ଧକାରଗ୍ରସ୍ତା ହେବେ;
୪ ଓ ପଥଆଡ଼େ ଦ୍ୱାର ରୁଦ୍ଧ ହେବ,
ସେହି ସମୟରେ ପେଷଣ ଶବ୍ଦ କ୍ଷୀଣ ହେବ,
ପୁଣି ପକ୍ଷୀର ନାଦରେ ଲୋକ ଜାଗି ଉଠିବ
ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ;
୫ ଆହୁରି, ସେମାନେ ଉଚ୍ଚ ସ୍ଥାନ ବିଷୟରେ ଭୀତ ହେବେ
ଓ ପଥରେ ତ୍ରାସ ହେବ;
ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ
ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ
ଓ କାମନା ନିସ୍ତେଜ ହେବ;
କାରଣ ମନୁଷ୍ୟ ଆପଣା ଚିର ନିବାସକୁ* ଚିର ନିବାସକୁ ଅର୍ଥାତ୍ ମୃତ୍ୟୁର ସ୍ଥାନକୁ ଯାଏ
ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;
୬ ସେହି ସମୟରେ ରୂପାର ତାର ହୁଗୁଳା ହେବ,
ସୁବର୍ଣ୍ଣ ପାତ୍ର ଭଗ୍ନ ହେବ,
ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ
ଓ କୂପରେ ଚକ୍ର ଭଗ୍ନ ହେବ;
୭ ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ,
ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରି ଯିବ।
୮ ଉପଦେଶକ କହନ୍ତି, “ଅସାରର ଅସାର, ସବୁ ହିଁ ଅସାର।”
ସାର କଥା
୯ ଆହୁରି, ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲେ; ପୁଣି, ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ କ୍ରମ ଅନୁସାରେ ସଜାଡ଼ି ରଖିଲେ। ୧୦ ଉପଦେଶକ ମନୋହର ବାକ୍ୟ ଓ ଯାହା ସରଳ ଭାବରେ ଲେଖାଗଲା, ସେହି ସତ୍ୟ ବାକ୍ୟ ପାଇବାକୁ ଅନ୍ଵେଷଣ କଲେ। ୧୧ ଜ୍ଞାନବାନ‍ର ବାକ୍ୟସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବଦ୍ଧ ଲୌହ କଣ୍ଟକ ସ୍ୱରୂପ, ତାହାସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି।
୧୨ ଆହୁରି, ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ; ପୁଣି, ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ।
୧୩ ସାର କଥା ଏହି; ସବୁ ଶୁଣାଯାଇଅଛି;
ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର;
କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।
୧୪ ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ,
ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।

*୧୨:୫ ଚିର ନିବାସକୁ ଅର୍ଥାତ୍ ମୃତ୍ୟୁର ସ୍ଥାନକୁ