ପରସ୍ପରର ଭାର ବହନ କରିବା
୧ ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ି ପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ । ୨ ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ । ୩ ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ । ୪ କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ; ୫ କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ । ୬ କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ । ୭ ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ୮ ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ । ୯ ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା । ୧୦ ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ ।
ଶେଷ ସତର୍କବାଣୀ ଓ ଅଭିବାଦନ
୧୧ ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି । ୧୨ ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି । ୧୩ କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରି ପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି । ୧୪ କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ'ଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋ' ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି । ୧୫ କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର । ୧୬ ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ । ୧୭ ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି । ୧୮ ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ । ଆମେନ୍‍ ।