ପକ୍ଷପାତୀତା ପାପ
୧ ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ । ୨ କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, ୩ ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ, ୪ କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ ? ୫ ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି ? ୬ କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ । ଧନୀମାନେ କ'ଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ ? ୭ ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କ'ଣ ସେହି ନାମର ନିନ୍ଦା କରନ୍ତି ନାହିଁ ? ୮ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ମୋଶାଙ୍କ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର, ୯ ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ । ୧୦ କାରଣ ଯେ କେହି ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ । ୧୧ ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ । ୧୨ ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର । ୧୩ କାରଣ ଯେ ଦୟା କରେ ନାହିଁ, ସେ ନିର୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ ।
ବିଶ୍ୱାସ ଓ କର୍ମର ପରିପୂରକତା
୧୪ ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ ? ଏପରି ବିଶ୍ୱାସ କ'ଣ ତାହାର ପରିତ୍ରାଣ କରି ପାରେ ? ୧୫ ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ୧୬ ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ ? ୧୭ ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ । ୧୮ କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି । ୧୯ ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି । ୨୦ କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ପଳ, ଏହା କ'ଣ ଜାଣିବାକୁ ଇଚ୍ଛା କରୁଅଛ ? ୨୧ ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‍ହାକଙ୍କୁ ଉତ୍ସର୍ଗ କରିବା ବେଳେ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ ? ୨୨ ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା; ୨୩ ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ । ୨୪ କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ । ୨୫ ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ ? ୨୬ କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ।