ପୂର୍ବଦେଶୀୟ ପଣ୍ଡିତ
୧ ହେରୋଦ ରାଜାଙ୍କ ସମୟରେ ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବଦେଶର କେତେକ ପଣ୍ଡିତ ଯିରୂଶାଲମକୁ ଆସି କହିଲେ, ୨ “ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।” ୩ ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍‌ବିଗ୍ନ ହେଲେ;
୪ ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ । ୫ ସେମାନେ ତାହାଙ୍କୁ କହିଲେ, “ଯିହୂଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି,
୬ 'ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋ'ଠାରୁ ଆସିବେ ।'”
୭ ତା'ପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ । ୮ ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, “ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା ।”
୯ ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା । ୧୦ ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
୧୧ ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ । ୧୨ ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ ।
ମିସରକୁ ପଳାୟନ
୧୩ ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ ।” ୧୪ ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, ୧୫ ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ।
ହେରୋଦଙ୍କ ଶିଶୁ ହତ୍ୟା
୧୬ ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।
୧୭ ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
୧୮ “ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାଁନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।”
ନାଜରିତକୁ ପ୍ରତ୍ୟାବର୍ତ୍ତନ
୧୯ ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ୨୦ “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି ।” ୨୧ ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ ।
୨୨ ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ ୨୩ ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, “ସେ ନାଜରିତୀୟ ବୋଲି ଖ୍ୟାତ ହେବେ” ।