The Epistle of Paul the Apostle to the
Philemon
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଅଭିବାଦନ
୧ ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ, ୨ ପୁଣି, ଭଗ୍ନୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ- ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛୁ; ୩ ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।
ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ
୪ ପ୍ରଭୁ ଯୀଶୁ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି ୫ ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି, ୬ ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦତ୍ତ ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ । ୭ କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି ।
ଅନୀସିମଙ୍କ ପାଇଁ ପାଉଲଙ୍କ ଅନୁରୋଧ
୮ ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି, ୯ ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ, ୧୦ ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି: ୧୧ ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି, ୧୨ ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି । ୧୩ ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା, ୧୪ କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲାପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ । ୧୫ କାରଣ ହୋଇ ପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; ୧୬ ବିଶେଷରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ । ୧୭ ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର । ୧୮ ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋ' ହିସାବରେ ଲେଖିରଖ; ୧୯ ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି । ତୁମ୍ଭେ ନିଜେ ଯେ ମୋ' ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ । ୨୦ ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ । ୨୧ ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତା'ଠାରୁ ଅଧିକ ମଧ୍ୟ କରିବ । ୨୨ ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି ।
ଶେଷ ଶୁଭେଚ୍ଛା
୨୩-୨୪ ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । ୨୫ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ । ଆମେନ୍ |