16
ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ 
 1 ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।  2 ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।  3 ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। 
 4 ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ।  5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍, ବନାୟ, ଓବେଦ୍-ଇଦୋମ ଓ ଯିୟୀୟେଲ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ;  6 ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ। 
 7 ଆଉ ସେହି ଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ। 
ଦାଉଦଙ୍କ ପ୍ରଶଂସାର ଗୀତି 
 8 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; 
ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। 
 9 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; 
ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକର୍ମ ବିଷୟରେ କଥୋପକଥନ କର। 
 10 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; 
ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। 
 11 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, 
ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର। 
 12 ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, 
ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ, 
 13 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା, 
ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। 
 14 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; 
ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି। 
 15 ତାହାଙ୍କ ନିୟମ ଚିରକାଳ ସ୍ମରଣ କର, 
ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି; 
 16 ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ 
ଓ ସେହି ଶପଥ ସେ ଇସ୍ହାକଙ୍କ ପ୍ରତି କରିଥିଲେ; 
 17 ପୁଣି, ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ 
ଇସ୍ରାଏଲ ପ୍ରତି ସ୍ଥିର କଲେ। 
 18 ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ 
ସେହି କିଣାନ ଦେଶ ତୁମ୍ଭକୁ ଦେବା;” 
 19 ସେହି ସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ, 
ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ; 
 20 ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ 
ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ। 
 21 ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ; 
ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ; 
 22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର 
ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।” 
 23 ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; 
ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର। 
 24 ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, 
ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର। 
 25 କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି; 
ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ। 
 26 କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା* ପ୍ରତିମା କିମ୍ବା ଅବସ୍ତୁ ମାତ୍ର; 
ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। 
 27 ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, 
ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ। 
 28 ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, 
ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। 
 29 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; 
ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; 
ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। 
 30 ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ; 
ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ। 
 31 ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; 
ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।” 
 32 ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; 
କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ; 
 33 ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, 
କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। 
 34 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, 
ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 35 ଆଉ, ତୁମ୍ଭେମାନେ କୁହ, “ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର, 
ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, 
ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା 
ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।” 
 36 ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ 
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ। 
ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। 
ସିନ୍ଦୁକ ସମ୍ମୁଖରେ ଉପାସନା 
 37 ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ  38 ଆଉ ଓବେଦ୍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍ର ପୁତ୍ର ଓବେଦ୍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ  39 ଆଉ, ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ  40 ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;  41 ପୁଣି, ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ ଓ ଯିଦୂଥୂନ୍; ପୁଣି, ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ।  42 ଆଉ, ହେମନ, ଯିଦୂଥୂନ୍ ତୂରୀ, କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନ୍ର ପୁତ୍ରମାନେ ଦ୍ୱାରପାଳ ହେଲେ। 
 43 ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ, ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ।