14
ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଆହ୍ୱାନ 
 1 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ; 
କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ। 
 2 ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; 
ତାହାଙ୍କୁ କୁହ, “ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର; 
ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା। 
 3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; 
ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; 
କିଅବା ‘ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ’ ବୋଲି 
ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; 
କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।” 
 4 ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା, 
ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; 
କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି। 
 5 ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; 
ସେ କଇଁଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନର ତୁଲ୍ୟ ମୂଳ ବାନ୍ଧିବ। 
 6 ତାହାର ଶାଖାସବୁ ବିସ୍ତାରିତ ହେବ 
ଓ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ 
ଓ ତାହାର ସୁବାସ ଲିବାନୋନ ପରି ହେବ। 
 7 ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ; 
ସେମାନେ ଶସ୍ୟ ପରି ସଂଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ; 
ତହିଁର ସୁବାସ ଲିବାନୋନର ଦ୍ରାକ୍ଷାରସ ତୁଲ୍ୟ ହେବ। 
 8 ଇଫ୍ରୟିମ କହିବ, “ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ?” 
ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; 
ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ। 
 9 ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ। 
ବୁଦ୍ଧିମାନ କିଏ? ସେ ଏସବୁ ଜାଣିବ, 
କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ; 
ମାତ୍ର ଆଜ୍ଞା-ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ।