4
ସଦାପ୍ରଭୁଙ୍କ ପର୍ବତ 
 1 ମାତ୍ର ଶେଷ କାଳରେ ଏରୂପ ଘଟିବ, 
ସଦାପ୍ରଭୁଙ୍କ ଗୃହର ପର୍ବତ, 
ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ 
ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; 
ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। 
 2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, 
“ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, 
ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; 
ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ 
ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” 
କାରଣ ସିୟୋନଠାରୁ ବ୍ୟବସ୍ଥା 
ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। 
 3 ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ 
ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; 
ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ 
ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; 
ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, 
କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। 
 4 ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା 
ଓ ଡିମ୍ବିରିବୃକ୍ଷ ତଳେ ବସିବେ 
ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; 
କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି। 
 5 କାରଣ ଯାବତୀୟ ଗୋଷ୍ଠୀ 
ଆପଣା ଆପଣା ଦେବତାର ନାମରେ ଚାଲିବେ, 
ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ 
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା। 
ସିୟୋନକୁ ସଦାପ୍ରଭୁଙ୍କ ସୁରକ୍ଷା 
 6 ସଦାପ୍ରଭୁ କହନ୍ତି, ସେହି ଦିନ 
ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, 
ପୁଣି ଯେ ତାଡ଼ିତ ହୋଇଅଛି 
ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା। 
 7 ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା 
ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା 
ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ 
ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ। 
 8 ପୁଣି, ହେ ପଲର ଦୁର୍ଗ, 
ହେ ସିୟୋନ କନ୍ୟାର ଗିରି, 
ତାହା ତୁମ୍ଭ ନିକଟକୁ ଆସିବ, 
ହଁ ପୂର୍ବକାଳର ରାଜ୍ୟ, 
ଯିରୂଶାଲମ କନ୍ୟାର ରାଜ୍ୟ ଆସିବ। 
 9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? 
ତୁମ୍ଭ ମଧ୍ୟରେ କି ରାଜା ନାହିଁ, 
ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି 
ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି? 
 10 ହେ ସିୟୋନ କନ୍ୟେ,* ସିୟୋନ କନ୍ୟେ, ଅର୍ଥାତ୍ ଯିରୂଶାଲମର ଲୋକମାନେ 
ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି 
ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର; 
କାରଣ ଏବେ ତୁମ୍ଭେ ନଗରରୁ ବାହାରିଯାଇ 
ପଦାରେ ବାସ କରିବ 
ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; 
ସେଠାରେ ତୁମ୍ଭେ ଉଦ୍ଧାର ପାଇବ; 
ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ 
ତୁମ୍ଭକୁ ମୁକ୍ତ କରିବେ। 
 11 ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, 
ସେମାନେ କହନ୍ତି, “ସେ ଅଶୁଚି ହେଉ 
ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।” 
 12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ, 
ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; 
କାରଣ ସେ ସେମାନଙ୍କୁ ଶସ୍ୟବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି। 
 13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; 
କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ 
ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; 
ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; 
ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ 
ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।