2
ସଦାପ୍ରଭୁଙ୍କ ମନୋନୀତ ରାଜା 
 1 ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; 
ଜନବୃନ୍ଦ କାହିଁକି ବୃଥାରେ ଷଡ଼ଯନ୍ତ୍ର କରନ୍ତି? 
 2 ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ 
ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି 
ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, 
 3 “ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ 
ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ।” 
 4 ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; 
ପ୍ରଭୁ ସେମାନଙ୍କୁ ପରିହାସ କରିବେ। 
 5 ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ 
ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ; 
 6 “ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ 
ସିୟୋନରେ ସ୍ଥାପନ କରିଅଛି।” 
 7 ମୁଁ ସେହି ବିଧାନ ପ୍ରଚାର କରିବି; 
ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର; 
ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। 
 8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର 
ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର 
ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା। 
 9 ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; 
ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।” 
 10 ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ 
ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର। 
 11 ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର। 
 12 ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, 
କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। 
ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେସମସ୍ତେ ଧନ୍ୟ।