6
ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍ ସ୍ୱରରେ ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, 
କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ। 
 2 ହେ ସଦାପ୍ରଭୋ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି; 
ହେ ସଦାପ୍ରଭୋ, ମୋତେ ସୁସ୍ଥ କର; କାରଣ ମୋʼ ର ଅସ୍ଥିସବୁ ବ୍ୟାକୁଳ ହେଉଅଛି। 
 3 ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି; 
ପୁଣି, ତୁମ୍ଭେ, ହେ ସଦାପ୍ରଭୋ, ଆଉ କେତେ କାଳ? 
 4 ହେ ସଦାପ୍ରଭୋ, ଫେର, ମୋʼ ପ୍ରାଣକୁ ଉଦ୍ଧାର କର; 
ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର। 
 5 କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ; 
ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ? 
 6 ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି; 
ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ, 
ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ। 
 7 ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ; 
ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ। 
 8 ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ; 
କାରଣ ସଦାପ୍ରଭୁ ମୋʼ ରୋଦନର ରବ ଶୁଣିଅଛନ୍ତି। 
 9 ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି; 
ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ। 
 10 ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ; 
ସେମାନେ ଫେରିଯିବେ, ସେମାନେ ହଠାତ୍ ଲଜ୍ଜିତ ହେବେ।