8
ସଦାପ୍ରଭୁଙ୍କ ମହିମା, ମନୁଷ୍ୟର ମର୍ଯ୍ୟାଦା 
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ଆମ୍ଭମାନଙ୍କର ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! 
ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। 
 2 ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ 
ଆପଣା ବିପକ୍ଷଗଣ ସକାଶୁ 
ଶିଶୁ ଓ ଦୁଗ୍ଧପୋଷ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ। 
 3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ 
ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,) 
 4 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ? 
ଓ ମାନବଜାତି* ମାନବଜାତି ଏବ୍ରୀରେ ମନୁଷ୍ୟପୁତ୍ର କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ? 
 5 ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ† ଦୂତଗଣଙ୍କ କିମ୍ବା ପରମେଶ୍ୱର ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, 
ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। 
 6 ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; 
ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ; 
 7 ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ; 
 8 ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, 
ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ। 
 9 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରଭୋ, 
ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ।