24
ମହାନ ରାଜା 
ଦାଉଦଙ୍କର ଗୀତ। 
 1 ପୃଥିବୀ ଓ ତହିଁର ପୂର୍ଣ୍ଣତା, 
ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର। 
 2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି 
ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। 
 3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? 
ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? 
 4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; 
ଯାହାର ମନ ଅସାରତା ପ୍ରତି ଉଠି ନାହିଁ, 
ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ। 
 5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ 
ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ। 
 6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, 
ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। 
[ସେଲା]
  7 ହେ ନଗରଦ୍ୱାରସକଳ, ମସ୍ତକ ଟେକ; 
ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; 
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। 
 8 ଗୌରବମୟ ରାଜା କିଏ? 
ବଳବାନ ଓ ବୀର ସଦାପ୍ରଭୁ, 
ସଂଗ୍ରାମରେ ବୀର ସଦାପ୍ରଭୁ। 
 9 ହେ ନଗରଦ୍ୱାରସକଳ, ମସ୍ତକ ଟେକ; 
ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; 
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। 
 10 ଏହି ଗୌରବମୟ ରାଜା କିଏ? 
ବାହିନୀଗଣର ସଦାପ୍ରଭୁ, 
ସେ ଗୌରବମୟ ରାଜା ଅଟନ୍ତି। 
[ସେଲା]