33
ପ୍ରଶଂସା ଗୀତ 
 1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; 
ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। 
 2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; 
ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। 
 3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; 
ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର। 
 4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; 
ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ। 
 5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; 
ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ; 
 6 ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, 
ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ। 
 7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; 
ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି। 
 8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; 
ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ। 
 9 ସେ କହିବା ମାତ୍ରେ ସୃଷ୍ଟି ହେଲା, 
ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। 
 10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; 
ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି। 
 11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; 
ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ। 
 12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; 
ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ। 
 13 ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; 
ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି; 
 14 ସେ ଆପଣା ନିବାସ-ସ୍ଥାନରୁ 
ପୃଥିବୀନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି; 
 15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, 
ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି। 
 16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; 
କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ। 
 17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା; 
କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ। 
 18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, 
ତାହାଙ୍କ ଦୟାରେ ଭରସା ରଖନ୍ତି, 
 19 ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ 
ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ 
ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ। 
 20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; 
ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ। 
 21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, 
କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ। 
 22 ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା 
କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।