38
ଦୁଃଖୀର ପ୍ରାର୍ଥନା 
ଦାଉଦଙ୍କର ଗୀତ, ସ୍ମରଣୋପାୟ। 
 1 ହେ ସଦାପ୍ରଭୋ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; 
କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ। 
 2 କାରଣ ତୁମ୍ଭର ତୀରସବୁ ମୋʼ ଠାରେ ବିଦ୍ଧ ରହିଅଛି 
ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। 
 3 ତୁମ୍ଭ କୋପ ସକାଶୁ ମୋʼ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; 
ପୁଣି, ମୋʼ ପାପ ସକାଶୁ ମୋʼ ଅସ୍ଥିରେ କିଛି ଆରାମ ନାହିଁ। 
 4 କାରଣ ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି; 
ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ। 
 5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ 
ଓ ବିକୃତ ହୋଇଅଛି। 
 6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। 
ମୁଁ ସାରାଦିନ ଶୋକ କରି ବୁଲୁଥାଏ। 
 7 କାରଣ ମୋʼ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ 
ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ। 
 8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। 
ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। 
 9 ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି 
ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। 
 10 ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; 
ମୋହର ଚକ୍ଷୁର ତେଜ ମଧ୍ୟ ମୋʼ ଠାରୁ ଗଲାଣି। 
 11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ 
ମୋʼ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି 
ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି। 
 12 ମଧ୍ୟ ଯେଉଁମାନେ ମୋʼ ପ୍ରାଣ ଚାହାନ୍ତି, ସେମାନେ ମୋʼ ପାଇଁ ଫାନ୍ଦ ପାତନ୍ତି; 
ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, 
ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି। 
 13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; 
ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ। 
 14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, 
ଏପରି ଲୋକ ତୁଲ୍ୟ ହୁଏ। 
 15 କାରଣ ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଭରସା ରଖେ; 
ହେ ପ୍ରଭୋ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ। 
 16 କାରଣ ମୁଁ କହିଲି, “କେଜାଣି ମୋହର ଶତ୍ରୁମାନେ ମୋʼ ଉପରେ ଆନନ୍ଦ କରିବେ; 
ମୋʼ ପାଦ ଖସିଗଲା ବେଳେ ସେମାନେ ମୋʼ ପ୍ରତିକୂଳରେ ଦର୍ପ କରନ୍ତି।” 
 17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ 
ଓ ମୋହର ଦୁଃଖ ସର୍ବଦା ମୋʼ ସମ୍ମୁଖରେ ଥାଏ। 
 18 ମୁଁ ଆପଣା ଅପରାଧ ପ୍ରକାଶ କରିବି; 
ମୁଁ ଆପଣା ପାପ ଲାଗି ଖେଦିତ ହେବି। 
 19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; 
ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି। 
 20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, 
ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ। 
 21 ହେ ସଦାପ୍ରଭୋ, ମୋତେ ପରିତ୍ୟାଗ କର ନାହିଁ; 
ହେ ମୋହର ପରମେଶ୍ୱର, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। 
 22 ହେ ପ୍ରଭୋ, ମୋହର ପରିତ୍ରାଣ, 
ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।