45
ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତ 
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ। 
 1 ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; 
ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; 
ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ। 
 2 ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର; 
ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି; 
ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି। 
 3 ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ, 
ଆପଣା ମହିମା ଓ ପ୍ରଭାବ ବାନ୍ଧ। 
 4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା 
ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; 
ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ। 
 5 ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି; 
ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ। 
 6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; 
ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ। 
 7 ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ; 
ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷା 
ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। 
 8 ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ; 
ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ 
ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି। 
 9 ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି; 
ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି। 
 10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର; 
ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର; 
 11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ* ସୌନ୍ଦର୍ଯ୍ୟ ବାଞ୍ଛା କରିବେ ଅର୍ଥାତ୍ ଶୟନ କରିବେ। 
କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର। 
 12 ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ; 
ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ। 
 13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା; 
ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ। 
 14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ; 
ତାଙ୍କର ପଶ୍ଚାଦ୍ବର୍ତ୍ତିନୀ ସହଚରୀ କୁମାରୀଗଣ 
ତୁମ୍ଭ ନିକଟକୁ ଅଣାଯିବେ। 
 15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ; 
ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ; 
 16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ, 
ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ। 
 17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି; 
ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।