50
ସତ୍ୟ ଉପାସନା 
ଆସଫର ଗୀତ। 
 1 ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତି 
ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି। 
 2 ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ 
ପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି। 
 3 ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ ରହିବେ ନାହିଁ; 
ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ 
ଓ ତାହାଙ୍କ ଚତୁର୍ଦ୍ଦିଗ ଅତ୍ୟନ୍ତ ଝଡ଼ମୟ ହେବ। 
 4 ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ 
ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ; 
 5 “ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ 
କରିଅଛନ୍ତି, ଆମର ସେହି ସଦ୍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର।” 
 6 ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; 
କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା। 
[ସେଲା]
  7 “ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା; 
ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେବା; 
ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, 
 8 ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା କରିବା ନାହିଁ; 
ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ ଅଛି। 
 9 ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ 
କିମ୍ବା ତୁମ୍ଭ ଖୁଆଡ଼ରୁ ଛାଗର ବଳିଦାନ ନେବା ନାହିଁ। 
 10 କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ 
ଓ ସହସ୍ର ସହସ୍ର ପର୍ବତସ୍ଥ ପଶୁ ଆମ୍ଭର। 
 11 ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ 
ଓ ବିଲର ପଶୁସବୁ ଆମ୍ଭର। 
 12 ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ; 
କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର। 
 13 ଆମ୍ଭେ କʼଣ ବୃଷମାଂସ ଭୋଜନ କରିବା, 
ଅବା ଛାଗରକ୍ତ ପାନ କରିବା? 
 14 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ ବଳି ଉତ୍ସର୍ଗ କର 
ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର; 
 15 ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; 
ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।” 
 16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, 
“ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, 
ତୁମ୍ଭର କି ଅଧିକାର? 
 17 କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ 
ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ। 
 18 ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ ହୋଇଅଛ 
ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ। 
 19 ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ 
ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ। 
 20 ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ; 
ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ। 
 21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ; 
ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ; 
ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।” 
 22 “ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, 
ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, 
ପୁଣି, ଉଦ୍ଧାର କରିବାକୁ କେହି ନ ଥିବ। 
 23 ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ; 
ଯେଉଁ ଜନ ଆପଣା ଗତି ସରଳ କରେ, 
ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”