59
ନିରାପତ୍ତା ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। 
 1 ହେ ମୋହର ପରମେଶ୍ୱର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; 
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର। 
 2 ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, 
ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର। 
 3 କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; 
ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; 
ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ। 
 4 ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି; 
ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର। 
 5 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, 
ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ; 
କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। 
[ସେଲା]
  6 ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି 
ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। 
 7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; 
ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; 
କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?” 
 8 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; 
ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ। 
 9 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; 
କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି। 
 10 ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; 
ପରମେଶ୍ୱର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ। 
 11 ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ; 
ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ, 
ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର। 
 12 ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, 
ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ 
ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ। 
 13 ଯେପରି ସେମାନେ ଆଉ ନ ଥିବେ, 
ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର; 
ପୁଣି, ପରମେଶ୍ୱର ଯେ ଯାକୁବ* ଯାକୁବ ଅର୍ଥାତ୍ ଇସ୍ରାଏଲ ମଧ୍ୟରେ, 
ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। 
[ସେଲା]
  14 ଆଉ, ସେମାନେ ସନ୍ଧ୍ୟା ବେଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତୁ 
ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ। 
 15 ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ। 
ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।† ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ 
 16 ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି 
ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; 
କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ। 
 17 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; 
ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।