67
ଧନ୍ୟବାଦର ଗୀତ 
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। 
 1 ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ 
ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। 
[ସେଲା]
  2 ତହିଁରେ ପୃଥିବୀରେ ତୁମ୍ଭର ପଥ 
ଓ ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ। 
 3 ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା କରନ୍ତୁ; 
ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। 
 4 ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ; 
କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ 
ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। 
[ସେଲା]
  5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ; 
ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। 
 6 ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; 
ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ। 
 7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; 
ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ।