72
ରାଜାଙ୍କ ପାଇଁ ପ୍ରାର୍ଥନା 
ଶଲୋମନଙ୍କର ଗୀତ। 
 1 ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ 
ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର। 
 2 ସେ ଧର୍ମରେ ତୁମ୍ଭ ଲୋକମାନଙ୍କର 
ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ। 
 3 ଧର୍ମ ଦ୍ୱାରା ପର୍ବତଗଣ 
ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ। 
 4 ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, 
ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ 
ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ। 
 5 ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ 
ଲୋକମାନେ ତୁମ୍ଭଙ୍କୁ ଭୟ କରିବେ। 
 6 କଟାଘାସରେ ବୃଷ୍ଟି ତୁଲ୍ୟ 
ଓ ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ। 
 7 ତାହାଙ୍କ ସମୟରେ ଧାର୍ମିକମାନେ* ଧାର୍ମିକମାନେ କିମ୍ବା ଧାର୍ମିକତା ବର୍ଦ୍ଧିଷ୍ଣୁ ହେବେ; 
ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ। 
 8 ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ 
ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ। 
 9 ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ 
ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ। 
 10 ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; 
ଶିବାର ଓ ସବାର ରାଜାଗଣ ଭେଟି ଦାନ କରିବେ। 
 11 ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; 
ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। 
 12 କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ 
ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ। 
 13 ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ 
ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ। 
 14 ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; 
ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ† ଜୀବନ ରକ୍ତ ବହୁମୂଲ୍ୟ ହେବ। 
 15 ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ; 
ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ। 
ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ। 
 16 ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ; 
ତହିଁର ଫଳ ଲିବାନୋନ ତୁଲ୍ୟ ହଲିବ; 
ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ। 
 17 ତାହାଙ୍କ ନାମ ଅନନ୍ତକାଳ ରହିବ; 
ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; 
ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; 
ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ। 
 18 ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, 
କେବଳ ସେ ଆଶ୍ଚର୍ଯ୍ୟକର୍ମ କରନ୍ତି; 
 19 ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ 
ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। 
ଆମେନ୍, ଆମେନ୍। 
 20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ।