80
ଜାତିର ପୁନଃରୁଦ୍ଧାର ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍-ଏଦୂତ୍ ସ୍ୱରରେ ଆସଫର ଗୀତ। 
 1 ହେ ଇସ୍ରାଏଲର ପାଳକ, 
ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; 
କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ। 
 2 ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର 
ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର। 
 3 ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ 
ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। 
 4 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, 
ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ? 
 5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ 
ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ। 
 6 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ 
ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ; 
ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି। 
 7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ 
ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। 
 8 ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; 
ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ। 
 9 ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, 
ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା। 
 10 ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ 
ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ। 
 11 ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା 
ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। 
 12 କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ, 
ପଥିକସବୁ ତାହା ଛିଣ୍ଡାଇ ପକାଉଅଛନ୍ତି? 
 13 ବନରୁ ବରାହ ଆସି ତାହା ଉଜାଡ଼ି ପକାଏ 
ଓ ବିଲର ପଶୁଗଣ ତାହା ଖାଇଯାʼନ୍ତି। 
 14 ହେ ସୈନ୍ୟାଧିପତି ପରମେଶ୍ୱର, 
ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର 
 15 ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର 
ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ। 
 16 ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି; 
ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି। 
 17 ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, 
ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ। 
 18 ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ; 
ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା। 
 19 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ; 
ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।