82
ପରମେଶ୍ୱର ସର୍ବୋପରିସ୍ଥ ରାଜା 
ଆସଫର ଗୀତ। 
 1 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି; 
ସେ ଦେବତାମାନଙ୍କ* ଦେବତାମାନଙ୍କ ଦୂତଗଣ କିଅବା ସ୍ବର୍ଗର ଆରାଧକମାନଙ୍କୁ ବିଚାର କରନ୍ତି। 
 2 “ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? 
ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? 
[ସେଲା]
  3 ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; 
ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର। 
 4 ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; 
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।” 
 5 ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; 
ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; 
ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ। 
 6 ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ 
ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ। 
 7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ 
ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ।” 
 8 ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର; 
କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ।