88
ସହାୟତା ପାଇଁ ବିନତି 
ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ଲୀୟନ୍ନୋତ୍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍। 
 1 ସଦାପ୍ରଭୋ, ମୋʼ ପରିତ୍ରାଣର ପରମେଶ୍ୱର, 
ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି; 
 2 ମୋʼ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; 
ମୋʼ କାକୂକ୍ତିରେ କର୍ଣ୍ଣପାତ କର; 
 3 କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ 
ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି। 
 4 ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; 
ମୁଁ ଅସହାୟ ଲୋକର ସମାନ। 
 5 ଯେଉଁ କବରଶାୟୀ ହତ ଲୋକମାନଙ୍କୁ 
ତୁମ୍ଭେ ଆଉ ସ୍ମରଣ କରୁ ନାହଁ 
ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, 
ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି। 
 6 ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, 
ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ। 
 7 ତୁମ୍ଭର କୋପ ମୋʼ ଉପରେ ପ୍ରବଳ ହୋଇ ରହୁଅଛି 
ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। 
[ସେଲା]
  8 ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋʼ ଠାରୁ ଦୂରରେ ରଖିଅଛ; 
ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ। 
ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ। 
 9 କ୍ଳେଶ ସକାଶୁ ମୋʼ ଚକ୍ଷୁ କ୍ଷୀଣ ହେଉଅଛି; 
ହେ ସଦାପ୍ରଭୋ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, 
ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି। 
 10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ? 
ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ? 
[ସେଲା]
  11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ 
ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ? 
 12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା 
ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ? 
 13 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି 
ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ। 
 14 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋʼ ପ୍ରାଣକୁ ପରିତ୍ୟାଗ କରୁଅଛ? 
ତୁମ୍ଭେ କାହିଁକି ମୋʼ ଠାରୁ ଆପଣା ମୁଖ ଲୁଚାଉଅଛ? 
 15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; 
ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି। 
 16 ତୁମ୍ଭ ପ୍ରଚଣ୍ଡ କୋପ ମୋʼ ଉପର ଦେଇ ଯାଇଅଛି; 
ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି। 
 17 ତାହାସବୁ ସାରାଦିନ ଜଳ ପରି ମୋʼ ଚାରିଆଡ଼େ ଉପସ୍ଥିତ; 
ତାହାସବୁ ଏକତ୍ର ମୋʼ ଚାରିଆଡ଼େ ବେଷ୍ଟନ କଲେ। 
 18 ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋʼ ଠାରୁ ଦୂରରେ 
ଓ ମୋʼ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।