ଚତୁର୍ଥ ଖଣ୍ଡ (୯୦:୧-୧୦୬:୪୮) 
 90
ପରମେଶ୍ୱର ଓ ମନୁଷ୍ୟ 
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା। 
 1 ହେ ପ୍ରଭୋ, ତୁମ୍ଭେ ପୁରୁଷାନୁକ୍ରମରେ 
ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ। 
 2 ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ 
ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ 
ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ। 
 3 ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ। 
ପୁଣି, କହୁଅଛ, “ହେ ମନୁଷ୍ୟ-ସନ୍ତାନଗଣ, ଫେର।” 
 4 କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ 
ଓ ରାତ୍ରିର ଏକ ପ୍ରହରର ସମାନ। 
 5 ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ ନେଉଅଛ; ସେମାନେ ସ୍ୱପ୍ନ ତୁଲ୍ୟ। 
ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ। 
 6 ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ; 
ସନ୍ଧ୍ୟାକାଳରେ ତାହା କଟାଯାଇ ଶୁଖଇ। 
 7 କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ, 
ପୁଣି, ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ। 
 8 ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, 
ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ। 
 9 କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ; 
କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ। 
 10 ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, 
ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; 
ତଥାପି ତହିଁର ବଳ* ବଳ ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର; 
କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ† ଉଡ଼ିଯାଉ ଅର୍ଥାତ୍ ମରିଯାଉ। 
 11 ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ 
ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ? 
 12 ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ ପାରିବୁ, 
ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ। 
 13 ହେ ସଦାପ୍ରଭୋ, ଫେର; କେତେ କାଳ? 
ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ। 
 14 ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର; 
ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। 
 15 ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ 
ଓ ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର। 
 16 ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ 
ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ। 
 17 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ; 
ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ ପକ୍ଷରେ ସ୍ଥାୟୀ କର; 
ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର।