95
ସ୍ତୁତିଗାନ 
 1 ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; 
ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 
 2 ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, 
ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 
 3 କାରଣ ସଦାପ୍ରଭୁ ମହାନ ପରମେଶ୍ୱର 
ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। 
 4 ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ; 
ପର୍ବତଗଣର ଶିଖ ମଧ୍ୟ ତାହାଙ୍କର। 
 5 ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ; 
ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ। 
 6 ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; 
ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ; 
 7 କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, 
ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। 
ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ। 
 8 ଯେପରି ମିରୀବାଃ* ମିରୀବାଃ ଯାହାର ଅର୍ଥ କଳହ ନିକଟରେ ଉତ୍ତେଜିତ ହେବା ସମୟରେ, 
ଯେପରି ପ୍ରାନ୍ତର ମଧ୍ୟରେ ମଃସା† ମଃସା ଯାହାର ଅର୍ଥ ପରୀକ୍ଷା ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ; 
 9 ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ, 
ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ। 
 10 ଆମ୍ଭେ ଚାଳିଶ ବର୍ଷ ଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ, 
ପୁଣି କହିଲୁ, “ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ 
ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି;” 
 11 ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ 
କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ।