101
ରାଜାଙ୍କ ପ୍ରତିଜ୍ଞା 
ଦାଉଦଙ୍କର ଗୀତ। 
 1 ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। 
ହେ ସଦାପ୍ରଭୋ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 
 2 ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; 
ଆହା, ତୁମ୍ଭେ କେବେ ମୋʼ ନିକଟକୁ ଆସିବ? 
ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି। 
 3 ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ; 
ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ; 
ତାହା ମୋʼ ଠାରେ ଲିପ୍ତ ହେବ ନାହିଁ। 
 4 କୁଟିଳ ଅନ୍ତଃକରଣ ମୋʼ ନିକଟରୁ ଦୂର ହେବ; 
ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ। 
 5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; 
ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ। 
 6 ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋʼ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ। 
ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ। 
 7 ଯେ ପ୍ରତାରଣା କରେ, ସେ ମୋʼ ଗୃହ ମଧ୍ୟରେ ବାସ କରିବ ନାହିଁ। 
ଯେ ମିଥ୍ୟା କହେ, ସେ ମୋʼ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ। 
 8 ମୁଁ ଅଧର୍ମାଚାରୀ ସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା 
ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।