111
ପରମେଶ୍ୱରଙ୍କ ସ୍ତୁତି 
 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। 
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ 
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 
 2 ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, 
ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି। 
 3 ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; 
ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ। 
 4 ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; 
ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ। 
 5 ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; 
ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। 
 6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ 
ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି। 
 7 ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, 
ତାହାଙ୍କ ବିଧିସକଳ ଅଟଳ। 
 8 ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; 
ତାହାସବୁ ସତ୍ୟତା ଓ ସରଳତାରେ ସାଧିତ। 
 9 ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି; 
ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; 
ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। 
 10 ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ; 
ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; 
ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।