124
ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା 
ଆରୋହଣ ଗୀତ; ଦାଉଦଙ୍କ ରଚିତ। 
 1 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, 
ଇସ୍ରାଏଲ ଏବେ କହୁନ୍ତୁ; 
 2 ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, 
ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ; 
 3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ 
ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ; 
 4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, 
ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା 
 5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା। 
 6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, 
ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି। 
 7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; 
ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ। 
 8 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ 
ଆମ୍ଭମାନଙ୍କର ସାହାଯ୍ୟ ଥାଏ।