128
ବାଧ୍ୟତାର ପୁରସ୍କାର 
ଆରୋହଣ ଗୀତ। 
 1 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି 
ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ। 
 2 କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ; 
ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ। 
 3 ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ; 
ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ। 
 4 ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ 
ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। 
 5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରିବେ; 
ଆଉ, ତୁମ୍ଭେ ଯାବଜ୍ଜୀବନ ଯିରୂଶାଲମର ମଙ୍ଗଳ ଦେଖିବ। 
 6 ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ। 
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।