136
ଧନ୍ୟବାଦ ସ୍ତୁତି 
 1 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 2 ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 3 ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 4 ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟକର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 5 ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ; 
ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ। 
 6 ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 7 ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 8 ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ କଲେ ସେ); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 9 ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 13 ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 14 ତହିଁ ମଧ୍ୟଦେଇ ଇସ୍ରାଏଲକୁ ପାର କରାଇଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 15 ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 16 ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ କରାଇଲେ, ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 17 ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର); 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 18 ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 19 ଇମୋରୀୟମାନଙ୍କ ରାଜା ସୀହୋନକୁ ବଧ କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 20 ପୁଣି, ବାଶନର ରାଜା ଓଗ୍କୁ ବଧ କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 21 ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 22 ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 
 23 ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 24 ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 25 ସବୁ ପ୍ରାଣୀକୁ ଆହାର ଦିଅନ୍ତି ସେ; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 26 ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; 
କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।