143
ସହାୟତା ପାଇଁ ପ୍ରାର୍ଥନା 
ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; 
ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ। 
 2 ନିଜ ଦାସକୁ ବିଚାରରେ ଆଣ ନାହିଁ; 
କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ। 
 3 ଶତ୍ରୁ ମୋʼ ପ୍ରାଣକୁ ତାଡ଼ନା କରିଅଛି; 
ସେ ମୋʼ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି; 
ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛି। 
 4 ଏହେତୁ ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍ବିଗ୍ନ ହୋଇଅଛି; 
ମୋʼ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି। 
 5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; 
ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; 
ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି। 
 6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁଅଛି; 
ଶୁଷ୍କ ଭୂମି ତୁଲ୍ୟ ମୋʼ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। 
[ସେଲା]
  7 ହେ ସଦାପ୍ରଭୋ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; 
ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; 
କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି। 
 8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; 
କାରଣ ମୁଁ ତୁମ୍ଭଠାରେ ଭରସା ରଖେ; 
ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; 
କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ। 
 9 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; 
ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ। 
 10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ; 
କାରଣ ତୁମ୍ଭେ ମୋହର ପରମେଶ୍ୱର; 
ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ। 
 11 ହେ ସଦାପ୍ରଭୋ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର; 
ତୁମ୍ଭ ଧର୍ମରେ ମୋʼ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ। 
 12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋʼ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର 
ଓ ମୋʼ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; 
କାରଣ ମୁଁ ତୁମ୍ଭର ଦାସ।