145
ସ୍ତୁତିଗାନ 
ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। 
 1 ହେ ରାଜନ୍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; 
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି, 
 2 ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; 
ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। 
 3 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; 
ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ। 
 4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ 
ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। 
 5 ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ 
ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି। 
 6 ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; 
ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି। 
 7 ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ 
ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ। 
 8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; 
କ୍ରୋଧରେ ଧୀର ଓ ଦୟାରେ ମହାନ। 
 9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; 
ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ। 
 10 ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; 
ତୁମ୍ଭର ସଦ୍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ; 
 11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି 
ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି, 
 12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ 
ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ। 
 13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ 
ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ। 
 14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି 
ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି। 
 15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; 
ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ। 
 16 ତୁମ୍ଭେ ଆପଣା ହସ୍ତ ମେଲାଇ 
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ। 
 17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ 
ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି, 
 18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, 
ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି। 
 19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; 
ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ। 
 20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; 
ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ। 
 21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ 
ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।