8
 1 ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି, 
ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ! 
ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି; 
ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ। 
 2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି, 
ସେ ମୋତେ ଶିକ୍ଷା ଦିଅନ୍ତେ; 
ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ, 
ମୋହର ଡାଳିମ୍ବରସ ପାନ କରାନ୍ତି। 
 3 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବ 
ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ। 
 4 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, 
ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ 
ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ। 
ଅନ୍ୟମାନେ 
 5 ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ? 
ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; 
ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, 
ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ। 
କନ୍ୟା 
 6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, 
ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; 
କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; 
ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; 
ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। 
 7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, 
କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; 
ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, 
ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ। 
ଅନ୍ୟମାନେ 
 8 ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, 
ତାହାର ସ୍ତନ ହୋଇ ନାହିଁ; 
ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେ 
ଆମ୍ଭେମାନେ ତାହା ପାଇଁ କଅଣ କରିବା? 
 9 ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, 
ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; 
ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, 
ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା। 
କନ୍ୟା 
 10 ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; 
ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି। 
 11 ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; 
ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; 
ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା। 
 12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; 
ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ 
ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ। 
ବର 
 13 ହେ ଉପବନବାସିନୀ, 
ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; 
ତାହା ମୋତେ ଶ୍ରବଣ କରାଅ। 
କନ୍ୟା 
 14 ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, 
ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ 
ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।