12
 1 ଇଫ୍ରୟିମ ବାୟୁ ଭୋଜନ କରେ 
ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; 
ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ 
ଓ ସେମାନେ ଅଶୂରର ସହିତ ନିୟମ କରନ୍ତି 
ଓ ମିସରକୁ ତୈଳ ପଠାନ୍ତି। 
ଯିହୁଦା ଏବଂ ଇସ୍ରାଏଲ ବିରୁଦ୍ଧରେ ପରମେଶ୍ୱରଙ୍କ ଅଭିଯୋଗ 
 2 ଆହୁରି, ସଦାପ୍ରଭୁଙ୍କ ଓ ଯିହୁଦା ମଧ୍ୟରେ ବିବାଦ ଅଛି, 
ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ଡ ଦେବେ; 
ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ। 
 3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା 
ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା; 
 4 ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା; 
ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା; 
ସେ ବେଥେଲ୍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, 
ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ। 
 5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର; 
ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ। 
 6 ଏଥିନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର; 
ଦୟା ଓ ନ୍ୟାୟବିଚାର ପାଳନ କର 
ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ। 
 7 ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; 
ସେ ଉପଦ୍ରବ କରିବାକୁ ଭଲ ପାଏ। 
 8 ପୁଣି, ଇଫ୍ରୟିମ କହିଲା, “ନିଶ୍ଚୟ ମୁଁ ଧନୀ ହୋଇଅଛି, 
ମୁଁ ଆପଣା ନିମନ୍ତେ ସମ୍ପତ୍ତି ପାଇଅଛି; 
ମୋʼ ର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋʼ ଠାରେ ପାଇବେ ନାହିଁ।” 
 9 ମାତ୍ର ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ; 
ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ବୁରେ ବାସ କରାଇବା। 
 10 ଆହୁରି, ଆମ୍ଭେ ଭବିଷ୍ୟଦ୍ବକ୍ତାଗଣ ନିକଟରେ କଥା କହିଅଛୁ 
ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ; 
ଆଉ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଦୃଷ୍ଟାନ୍ତର କଥା ବ୍ୟବହାର କରିଅଛୁ। 
 11 ଯଦି ଗିଲୀୟଦରେ କିଛି ଅଧର୍ମ ଅଛି, ତେବେ ସେମାନେ ସର୍ବତୋଃଭାବେ ଅସାର; 
ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; 
ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି। 
 12 ପୁଣି, ଯାକୁବ ଅରାମ ଦେଶକୁ ପଳାଇଗଲା 
ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା 
ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା। 
 13 ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍ବକ୍ତା ଦ୍ୱାରା 
ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ 
ଓ ଏକ ଜଣ ଭବିଷ୍ୟଦ୍ବକ୍ତା ଦ୍ୱାରା ସେ ରକ୍ଷିତ ହେଲା। 
 14 ଇଫ୍ରୟିମ ଅତିଶୟ ବିରକ୍ତ କରାଇଅଛି; 
ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ 
ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ।