2
ଯୂନସଙ୍କ ପ୍ରାର୍ଥନା 
 1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ।  2 ଆଉ, ସେ କହିଲେ, 
“ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, 
ତହିଁରେ ସେ ମୋତେ ଉତ୍ତର ଦେଲେ, 
ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, 
ତୁମ୍ଭେ ମୋର ରବ ଶୁଣିଲ। 
 3 କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, 
ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; 
ତୁମ୍ଭର ଢେଉ ଓ ତରଙ୍ଗସବୁ 
ମୋʼ ଉପର ଦେଇ ଗଲା। 
 4 ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; 
ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି। 
 5 ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା; 
ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା; 
ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା। 
 6 ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି; 
ମୋʼ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା; 
ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ। 
 7 ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; 
ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା। 
 8 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, 
ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି। 
 9 ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; 
ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି; 
ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।” 
 10 ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।