22
ବିବାହ ଭୋଜର ଦୃଷ୍ଟାନ୍ତ 
(ଲୂକ 14:15-24) 
 1 ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ,  2  “ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ,  3  ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ।  4  ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’  5  କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,  6  ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ।  7  କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍ କଲେ।  8  ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ।  9  ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର।  10  ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା।  11  କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ,  12  ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା।  13  ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।  14  କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’ ” 
କର ଦେବା ପ୍ରସଙ୍ଗ 
(ମାର୍କ 12:13-17; ଲୂକ 20:20-26) 
 15 ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ।  16 ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ।  17 ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କଅଣ? କାଇସର ସମ୍ରାଟଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?  18 କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, “ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ?”  19  “ସେହି କରର ମୁଦ୍ରା ମୋତେ ଦେଖାଅ।” ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣିଲେ।  20 ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର?  21 ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, “ତେବେ କାଇସର ସମ୍ରାଟଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।”  22 ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ। 
ସାଦ୍ଦୂକୀଙ୍କ ପୁନରୁତ୍ଥାନର ପ୍ରଶ୍ନ 
(ମାର୍କ 12:18-27; ଲୂକ 20:27-40) 
 23 ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ,  24 ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।  25 ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା;  26 ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ।  27 ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା।  28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ।  29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ।  30  କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।  31  ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ବର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?  32  ‘ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର।’ ସେ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର।”  33 ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 
ଶ୍ରେଷ୍ଠ ଆଜ୍ଞା 
(ମାର୍କ 12:28-34; ଲୂକ 10:25-28) 
 34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,  35 ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ,  36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?  37 ସେ ତାହାଙ୍କୁ କହିଲେ, “ ‘ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର।’  38  ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା।  39  ଦ୍ୱିତୀୟଟି ଏହାର ସଦୃଶ, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’  40  ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ।” 
ଖ୍ରୀଷ୍ଟ କାହାର ସନ୍ତାନ? 
(ମାର୍କ 12:35-37; ଲୂକ 20:41-44) 
 41 ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ,  42  “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।”  43 ଯୀଶୁ ସେମାନଙ୍କୁ କହିଲେ, “ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି? 
 44  ‘ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, 
ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, 
ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’ 
 45  ଅତଏବ, ଦାଉଦ ଯଦି ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”  46 ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।