7
୧, ୪୪,୦୦୦ ଇସ୍ରାଏଲୀୟ ମୁଦ୍ରାଙ୍କିତ 
 1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।  2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,  3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।  4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ, 
 5 ଯିହୂଦା ବଂଶରୁ ବାର ହଜାର, 
ରୂବେନ ବଂଶରୁ ବାର ହଜାର, 
ଗାଦ ବଂଶରୁ ବାର ହଜାର, 
 6 ଆଶେର ବଂଶରୁ ବାର ହଜାର, 
ନପ୍ତାଲି ବଂଶରୁ ବାର ହଜାର, 
ମନଃଶି ବଂଶରୁ ବାର ହଜାର, 
 7 ଶିମିୟୋନ ବଂଶରୁ ବାର ହଜାର, 
ଲେବୀ ବଂଶରୁ ବାର ହଜାର, 
ଇସାଖାର ବଂଶରୁ ବାର ହଜାର, 
 8 ସବୂଲୂନ ବଂଶରୁ ବାର ହଜାର, 
ଯୋଷେଫ ବଂଶରୁ ବାର ହଜାର, 
ବିନ୍ୟାମୀନ୍ ବଂଶରୁ ବାର ହଜାର। 
ସର୍ବ ଦେଶର ଏକ ବିରାଟ ଜନତା 
 9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;  10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, 
“ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, 
ଓ ମେଷଶାବକଙ୍କର କାର୍ଯ୍ୟ।” 
 11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି, 
 12 “ଆମେନ୍; 
ପ୍ରଶଂସା, ଗୌରବ, 
ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ 
ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, 
ଆମେନ୍।” 
 13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? 
 14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। 
ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।  15 ସେଥିପାଇଁ, 
“ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, 
ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” 
“ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି 
ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ। 
 16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା 
କି ତୃଷା ହେବ ନାହିଁ,” 
“ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, 
 17 କାରଣ ସିଂହାସନ ମଧ୍ୟସ୍ଥିତ 
ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ 
ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” 
“ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”