ଆମୋଷ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 
ଲେଖକ 
ଆମୋଷ ପୁସ୍ତକ 1:1 ଭବିଷ୍ୟଦ୍ବକ୍ତା ଆମୋଷଙ୍କୁ ଏହି ପୁସ୍ତକର ଲେଖକ ବୋଲି ଚିହ୍ନଟ କରେ। ତକୋୟସ୍ଥ ଗୋପାଳକମାନଙ୍କ ମଧ୍ୟରେ ଭବିଷ୍ୟଦ୍ବକ୍ତା ଆମୋଷ ବାସ କରୁଥିଲେ। ତାହାଙ୍କ ଲେଖାରେ ସେ ସ୍ପଷ୍ଟ କରନ୍ତି ଯେ ସେ ଭବିଷ୍ୟଦ୍ବକ୍ତାମାନଙ୍କ ପରିବାରରୁ ଆସନ୍ତି ନାହିଁ କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ନୁହନ୍ତି। ପରମେଶ୍ୱର ପଙ୍ଗପାଳ ଏବଂ ଅଗ୍ନି ଦ୍ଵାରା ସେମାନଙ୍କୁ ସତର୍କ କରାଇଲେ କିନ୍ତୁ ଆମୋଷଙ୍କ ପ୍ରାର୍ଥନା ଇସ୍ରାଏଲକୁ ଧ୍ଵଂସରୁ ରକ୍ଷା କଲା। 
ସମୟ ଓ ସ୍ଥାନ 
ପ୍ରାୟ 760-750 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି। 
ଆମୋଷ ଉତ୍ତର ଇସ୍ରାଏଲ ରାଜ୍ୟର ଶମରୀୟା ଏବଂ ବେଥେଲ୍ରେ ପ୍ରଚାର କରୁଥିଲେ। 
ପ୍ରାପକ 
ଆମୋଷଙ୍କର ମୂଳ ପ୍ରାପକ ଉତ୍ତର ଇସ୍ରାଏଲ ଲୋକ ଏବଂ ବାଇବଲର ଭବିଷ୍ୟତ ପାଠକମାନେ। 
ଉଦ୍ଦେଶ୍ୟ 
ଗର୍ବକୁ ପରମେଶ୍ୱର ଘୃଣା କରନ୍ତି। ଲୋକମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ଆତ୍ମନିର୍ଭର ଅଟନ୍ତି ଏବଂ ସେ ସମସ୍ତ ବିଷୟଗୁଡ଼ିକୁ ଭୁଲିଗଲେ ଯାହାସବୁ ପରମେଶ୍ୱରଙ୍କଠାରୁ ପ୍ରାପ୍ତ କରିଥିଲେ। ଆଉ ମଧ୍ୟ ପରମେଶ୍ୱର ସମସ୍ତ ଲୋକମାନଙ୍କୁ ଗୁରୁତ୍ଵ ଦିଅନ୍ତି ଏବଂ ଗରିବମାନଙ୍କୁ ମନ୍ଦ କିମ୍ବା ନିଷ୍ଠୁର ଆଚରଣ ବିରୁଦ୍ଧରେ ଚେତାବନୀ ଦିଅନ୍ତି। ଶେଷରେ ପରମେଶ୍ୱର ତାହାଙ୍କୁ ସମ୍ମାନ କରୁଥିବା ଆଚରଣ ସହ ଆନ୍ତରିକ ଉପାସନା ଦାବୀ କରନ୍ତି। ଆମୋଷଙ୍କ ଦ୍ଵାରା ପରମେଶ୍ୱରଙ୍କ ବାକ୍ୟ ଇସ୍ରାଏଲର ବିଶେଷ ଉପକାର ପ୍ରାପ୍ତ ଲୋକମାନଙ୍କୁ ସିଧାସଳଖ ଭାବରେ ଥିଲା, ଯେଉଁମାନଙ୍କ ହୃଦୟରେ ସେମାନଙ୍କର ପଡ଼ୋଶୀମାନଙ୍କ ପ୍ରତି ପ୍ରେମ ନ ଥିଲା, ଯେଉଁମାନେ ଅନ୍ୟ ଲୋକଙ୍କଠାରୁ ଲାଭ ଉଠାଉ ଥିଲେ ଏବଂ ଯେଉଁମାନେ କେବଳ ନିଜର ସୁବିଧା ବିଷୟରେ ଭାବୁଥିଲେ। 
ବିଷୟବସ୍ତୁ 
ବିଚାର 
ରୂପରେଖା 
1. ଦେଶଗୁଡ଼ିକର ଧ୍ୱଂସ — 1:1-2:16 
2. ଭବିଷ୍ୟଦ୍ବାଣୀର ଆହ୍ୱାନ — 3:1-8 
3. ଇସ୍ରାଏଲର ବିଚାର — 3:9-9:10 
4. ପୁନଃରୁଦ୍ଧାର — 9:11-15  
 1
 1 ଯିହୁଦାର ରାଜା ଉଷୀୟର ଅଧିକାର ସମୟରେ ଓ ଯୋୟାଶ୍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ଅଧିକାର ସମୟରେ, ଭୂମିକମ୍ପର ଦୁଇ ବର୍ଷର ପୂର୍ବରେ ତକୋୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋଷ ଇସ୍ରାଏଲ ବିଷୟରେ ଯେଉଁ ଯେଉଁ ଦର୍ଶନ ପାଇଲେ, ତଦ୍ବିଷୟକ ତାଙ୍କର ବାକ୍ୟ। 
 2 ପୁଣି ସେ କହିଲେ, 
“ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; 
ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ 
ଓ କର୍ମିଲର ଶିଖର ଶୁଷ୍କ ହେବ।” 
ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ଈଶ୍ୱରଙ୍କ ବିଚାର 
 3 ସଦାପ୍ରଭୁ ଏହି କଥା କହନ୍ତି, 
“ଆମ୍ଭେ ଦମ୍ମେଶକର ତିନି, ହଁ, ଚାରି ଅପରାଧ ସକାଶୁ 
ତହିଁର ଦଣ୍ଡ ନିବାରଣ କରିବା ନାହିଁ; 
କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ ଯନ୍ତ୍ରରେ 
ଗିଲୀୟଦକୁ ମର୍ଦ୍ଦନ କରିଅଛନ୍ତି; 
 4 ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା 
ଓ ତାହା ବିନ୍ହଦଦ୍ର ଅଟ୍ଟାଳିକାସବୁ ଗ୍ରାସ କରିବ। 
 5 ପୁଣି, ଆମ୍ଭେ ଦମ୍ମେଶକର ଅର୍ଗଳ ଭାଙ୍ଗି ପକାଇବା 
ଓ ଆବନ ଉପତ୍ୟକାରୁ ନିବାସକାରୀକୁ 
ଓ ବେଥ୍-ଏଦନ ବଂଶରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା। 
ପୁଣି, ସଦାପ୍ରଭୁ କହନ୍ତି, 
ଅରାମର ଲୋକମାନେ ନିର୍ବାସିତ ହୋଇ କୀର୍କୁ ଯିବେ।” 
 6 ସଦାପ୍ରଭୁ ଏହି କଥା କହନ୍ତି, 
“ଆମ୍ଭେ ଘସାର ତିନି, ହଁ, ଚାରି ଅପରାଧ ସକାଶୁ 
ତହିଁର ଦଣ୍ଡ ନିବାରଣ କରିବା ନାହିଁ; 
କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ 
ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇଗଲେ। 
 7 ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା 
ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ। 
 8 ଆଉ, ଆମ୍ଭେ ଅସ୍ଦୋଦରୁ ନିବାସକାରୀକୁ 
ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା; 
ଆମ୍ଭେ ଇକ୍ରୋଣ ସହରର ବିପକ୍ଷରେ ଆପଣା ହସ୍ତ ଫେରାଇବା 
ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ।” 
ଏହା ପ୍ରଭୁ ସଦାପ୍ରଭୁ କହନ୍ତି। 
 9 ସଦାପ୍ରଭୁ ଏହି କଥା କହନ୍ତି, 
“ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ 
ତହିଁର ଦଣ୍ଡ ନିବାରଣ କରିବା ନାହିଁ; 
କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ 
ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ; 
 10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା 
ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।” 
 11 ସଦାପ୍ରଭୁ ଏହି କଥା କହନ୍ତି, 
“ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ 
ତହିଁର ଦଣ୍ଡ ନିବାରଣ କରିବା ନାହିଁ; 
କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, 
ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା। 
 12 ମାତ୍ର ଆମ୍ଭେ ତୈମନ୍ ଉପରେ ଅଗ୍ନି ନିକ୍ଷେପ କରିବା 
ଓ ତାହା ବସ୍ରାର ଅଟ୍ଟାଳିକାସବୁ ଗ୍ରାସ କରିବ।” 
 13 ସଦାପ୍ରଭୁ ଏହି କଥା କହନ୍ତି, 
“ଆମ୍ଭେ ଅମ୍ମୋନ-ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ 
ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ; 
କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ 
ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି। 
 14 ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା 
ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ 
ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ। 
 15 ପୁଣି, ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ 
ଏକ ସଙ୍ଗେ ନିର୍ବାସିତ ହୋଇଯିବେ। 
ଏହା ସଦାପ୍ରଭୁ କହନ୍ତି।”