6
ପରମେଶ୍ୱରଙ୍କ ଅଭିଯୋଗ 
 1 ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; 
ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର 
ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ। 
 2 ହେ ପର୍ବତଗଣ, 
ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, 
ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; 
କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି 
ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ। 
 3 “ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? 
ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? 
ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ। 
 4 ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ 
ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; 
ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ। 
 5 ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା 
ଓ ବିୟୋରର ପୁତ୍ର ବିଲୀୟମ୍ ତାହାକୁ କି ଉତ୍ତର ଦେଇଥିଲା, 
ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର,* ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର, ଦେଖନ୍ତୁ ଯିହୋଶୂୟ ୩ ଓ ୪ ଅଧ୍ୟାୟ 
ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।” 
ପରମେଶ୍ୱର କʼଣ ଚାହାନ୍ତି? 
 6 “ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା 
ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା? 
ଆମ୍ଭେ କି ହୋମବଳି ରୂପେ 
ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା? 
 7 ସହସ୍ର ସହସ୍ର ମେଷରେ 
ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? 
ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, 
ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?” 
 8 ହେ ମନୁଷ୍ୟ, ଯାହା ଉତ୍ତମ, 
ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; 
ନ୍ୟାୟାଚରଣ, ଦୟା ଭଲ ପାଇବା 
ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, 
ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି? 
ଦୁଷ୍ଟର ବିନାଶ 
 9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି 
ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। 
ତୁମ୍ଭେମାନେ ଦଣ୍ଡ 
ଓ ତନ୍ନିରୂପଣକାରୀଙ୍କୁ ମାନ। 
 10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର 
ଓ ଘୃଣାଯୋଗ୍ୟ ସାନ ଐଫା ଅଛି? 
 11 ଆମ୍ଭେ କି ଦୁଷ୍ଟତାର ନିକ୍ତିରେ 
ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା। 
 12 ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି 
ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, 
ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ। 
 13 ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; 
ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ। 
 14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ 
ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; 
ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ 
ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା। 
 15 ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; 
ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; 
ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ। 
 16 କାରଣ ଅମ୍ରିଙ୍କର ବିଧି 
ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି 
ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; 
ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା 
ଓ ତହିଁର ନିବାସୀମାନଙ୍କୁ ଶୀସ୍ ଶବ୍ଦର ବିଷୟ କରିବା; 
ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।