29
ତୂରୀଧ୍ୱନି ପର୍ବର ନୈବେଦ୍ୟ 
 1 “ଆଉ ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ୱନିର ଦିନ।  2 ପୁଣି, ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ;  3 ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ  4 ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ;  5 ପୁଣି, ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ।  6 ଏହି ସମସ୍ତ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି, ବିଧିମତେ ଉଭୟର ପେୟ-ନୈବେଦ୍ୟ, ବ୍ୟତୀତ ଉତ୍ସର୍ଗ କରିବ। 
ପ୍ରାୟଶ୍ଚିତ୍ତ ଦିନର ନୈବେଦ୍ୟ 
 7 ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;  8 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ;  9 ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ  10 ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;  11 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି, ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
ପତ୍ରକୁଟୀର ପର୍ବର ନୈବେଦ୍ୟ 
 12 ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି, ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ।  13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ।  14 ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ  15 ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;  16 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 17 ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,  18 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  19 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 20 ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,  21 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  22 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 23 ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ, ଦୁଇ ମେଷ, ଏକ ବର୍ଷୀୟ ଚଉଦ ମେଷବତ୍ସ,  24 ଗୋବତ୍ସର, ମେଷର, ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  25 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 26 ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,  27 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  28 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 29 ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,  30 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  31 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 32 ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,  33 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  34 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 35 ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।  36 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ,  37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,  38 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ। 
 39 ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ, ସ୍ୱେଚ୍ଛାଦତ୍ତ ଉପହାର ସମ୍ବନ୍ଧୀୟ ତୁମ୍ଭମାନଙ୍କ ହୋମବଳି, ତୁମ୍ଭମାନଙ୍କ ଭକ୍ଷ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ବ୍ୟତୀତ ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”  40 ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।