16
 1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ 
ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ। 
 2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ 
ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ। 
 3 ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; 
ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ। 
 4 ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; 
ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; 
କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, 
ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି। 
 5 ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; 
ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ। 
 6 ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, 
ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ। 
 7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; 
କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ। 
 8 ଯେହେତୁ ହିଷ୍ବୋନ ସହରର କ୍ଷେତ୍ରସବୁ ଓ ସିବ୍ମା ନଗରର ଦ୍ରାକ୍ଷାଲତା ମ୍ଳାନ ହେଉଅଛି; 
ଗୋଷ୍ଠୀବର୍ଗର ଅଧ୍ୟକ୍ଷଗଣ ତହିଁର ମନୋନୀତ ଚାରାସବୁ ଭାଙ୍ଗି ପକାଇଅଛନ୍ତି; 
ସେହି ସବୁ ଯାସେର ନଗର ପର୍ଯ୍ୟନ୍ତ ଗଲେ, ପ୍ରାନ୍ତର ପର୍ଯ୍ୟନ୍ତ ଏଣେତେଣେ ଗଲେ; 
ତାହାର ଶାଖାସବୁ ଚାରିଆଡ଼େ ବିସ୍ତୃତ ହେଲା, ସେହି ସବୁ ସମୁଦ୍ର ପାର ହୋଇଗଲେ। 
 9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; 
ହେ ହିଷ୍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; 
କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି। 
 10 ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ୱନି ହେବ ନାହିଁ; 
କେହି ପଦ ଦ୍ୱାରା ଚାପି ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦଧ୍ୱନି ନିବୃତ୍ତ କରିଅଛୁ। 
 11 ଏହି କାରଣରୁ ଆମ୍ଭର ନାଡ଼ୀ ମୋୟାବର ପାଇଁ ଓ ଆମ୍ଭର ଅନ୍ତର କୀର୍ହେରସର ପାଇଁ ବୀଣା ପରି ବାଜୁଅଛି। 
 12 ପୁଣି, ମୋୟାବ ଆପେ ଉପସ୍ଥିତ ହେବା ବେଳେ ଓ ଉଚ୍ଚସ୍ଥଳୀରେ ଆପଣାକୁ କ୍ଳାନ୍ତ କରି 
ପ୍ରାର୍ଥନା କରିବା ପାଇଁ ଧର୍ମଧାମରେ ପ୍ରବେଶ କରିବା ବେଳେ ସେ କୃତାର୍ଥ ହେବ ନାହିଁ। 
 13 ବିଗତ ସମୟରେ ସଦାପ୍ରଭୁ ମୋୟାବ ବିଷୟରେ ଏହି କଥା କହିଥିଲେ।  14 ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, “ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।”