62
ସିୟୋନର ଭବିଷ୍ୟତ ପରିତ୍ରାଣ 
 1 ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, 
ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ। 
 2 ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; 
ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ। 
 3 ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ। 
 4 ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; 
ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; 
କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ। 
 5 ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; 
ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ। 
 6 ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; 
ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ। 
 7 ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, 
ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, 
ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ। 
 8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, 
ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ 
ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ। 
 9 ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ 
ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ। 
 10 ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ୱାର ମଧ୍ୟଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; 
ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; 
ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ। 
 11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, 
“ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, 
ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।” 
 12 ପୁଣି, ଲୋକମାନେ ସେମାନଙ୍କୁ ପବିତ୍ର ଲୋକ, ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ, ଆଉ, ତୁମ୍ଭେ ଅନ୍ୱେଷିତା, ଅପରିତ୍ୟକ୍ତା ନଗରୀ ବୋଲି ଖ୍ୟାତ ହେବ।