146
ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ 
 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। 
ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର। 
 2 ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; 
ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। 
 3 ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, 
କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ। 
 4 ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ; 
ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ। 
 5 ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ, 
ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ; 
 6 ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର 
ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; 
ସେ ସଦାକାଳ ସତ୍ୟ ପାଳନ କରନ୍ତି; 
 7 ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି; 
ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; 
ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି। 
 8 ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; 
ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; 
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। 
 9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; 
ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; 
ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି। 
 10 ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, 
ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ। 
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।