4
ଶଲୋମନଙ୍କ ଅଧିକାରୀଗଣ 
 1 ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।  2 ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ।  3 ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ  4 ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;  5 ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜାଙ୍କ ମିତ୍ର ଥିଲା।  6 ପୁଣି, ଅହୀଶାର୍ ଗୃହାଧ୍ୟକ୍ଷ ଥିଲା ଓ ଅବ୍ଦର ପୁତ୍ର ଅଦୋନୀରାମ୍ ବେଠିକର୍ମର ଅଧ୍ୟକ୍ଷ ଥିଲା। 
 7 ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ।  8 ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର।  9 ମାକସ୍, ଶାଲବୀମ୍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍ରେ ବିନ୍-ଦେକର;  10 ଅରୁବୋତରେ ବିନ୍-ହେଷଦ୍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା;  11 ସମୁଦାୟ ଦୋର ଉପପର୍ବତରେ ବିନ୍-ଅବୀନାଦବ୍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍ ଥିଲା।  12 ତାନକ୍, ମଗିଦ୍ଦୋ, ବେଥ୍-ଶାନ୍ ଠାରୁ ଆବେଲ୍-ମହୋଲା ଓ ଯକମୀୟାମ୍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା।  13 ରାମୋତ୍-ଗିଲୀୟଦରେ ବିନ୍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା;  14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍।  15 ନପ୍ତାଲିରେ ଅହୀମାସ୍; ସେ ଶଲୋମନଙ୍କର କନ୍ୟା ବାସମତ୍କୁ ବିବାହ କରିଥିଲା।  16 ଆଶେର ଓ ବାଲୋତ୍ରେ* ବାଲୋତ୍ରେ କିମ୍ବା ଆଲୋତ୍ରେ ହୂଶୟର ପୁତ୍ର ବାନା।  17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍;  18 ବିନ୍ୟାମୀନ୍ରେ ଏଲାର ପୁତ୍ର ଶିମୀୟି;  19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। 
ଶଲୋମନଙ୍କ ସମୃଦ୍ଧି 
 20 ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ। 
 21 ପୁଣି, ଶଲୋମନ (ଫରାତ୍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ। 
 22 ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦା† ତିରିଶ ମହଣ ସରୁ ମଇଦା ପ୍ରାୟ ୬,୬୦୦ କିଲୋଗ୍ରାମ୍ ଓ ଷାଠିଏ ମହଣ ସୁଜି,‡ ଷାଠିଏ ମହଣ ସୁଜି, ପ୍ରାୟ ୧୩,୨୦୦ କିଲୋଗ୍ରାମ୍  23 ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା।  24 କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା।  25 ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ।  26 ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।  27 ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।  28 ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ। 
 29 ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।  30 ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।  31 କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ ଓ କଲ୍କୋଲ୍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।  32 ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।  33 ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ।  34 ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।