The Third Epistle of John 
ଯୋହନଙ୍କ ତୃତୀୟ ପତ୍ର 
ଲେଖକ 
ଯୋହନଙ୍କ ତିନୋଟି ପତ୍ର ଏକ ବ୍ୟକ୍ତିଙ୍କ କାର୍ଯ୍ୟ ଅଟେ ଏବଂ ଅନେକ ଶାସ୍ତ୍ରଜ୍ଞମାନେ ପ୍ରକାଶ କରନ୍ତି ଯେ ଏହି ପତ୍ରର ଲେଖକ ପ୍ରେରିତ ଯୋହନ ଅଟନ୍ତି। ମଣ୍ଡଳୀରେ ନିଜର ସ୍ଥାନ ଏବଂ ବୟସ, ପତ୍ରକୁ ପ୍ରାରମ୍ଭ ଏବଂ ସମାପ୍ତ କରିବା ଶୈଳୀ ଏବଂ ଏହାର ଦୃଷ୍ଟିକୋଣ ଯୋହନଙ୍କ ଦ୍ୱିତୀୟ ପତ୍ର ସହ ସମାନ, ଏହି ଦୁଇଟି ପତ୍ରର ଲେଖକ ଯୋହନ କିମ୍ବା ଅନ୍ୟ ବ୍ୟକ୍ତି ତାହା ହୁଏତ, ସନ୍ଦେହ ଉତ୍ପନ୍ନ କରିପାରେ। 
ସମୟ ଓ ସ୍ଥାନ 
ପ୍ରାୟ 85-95 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି। 
ଯୋହନ ଏହି ପତ୍ରକୁ ଏସିଆ ମହାଦେଶର ଏଫିସ ସହରରୁ ଲେଖିଥିଲେ। 
ପ୍ରାପକ 
ଯୋହନଙ୍କ ତୃତୀୟ ପତ୍ର ଗାୟଙ୍କୁ ଲେଖାଯାଇଥିଲା ଯିଏ ମଣ୍ଡଳୀରେ ଏକ ବିଶିଷ୍ଟ ବ୍ୟକ୍ତି ଥିଲେ ତାହାଙ୍କ ସହିତ ପ୍ରେରିତ ଯୋହନଙ୍କ ପରିଚୟ ଥିଲା। ଗାୟ ତାହାଙ୍କର ଆତିଥ୍ୟସତ୍କାର ବିଷୟରେ ପରିଚିତ ଥିଲେ। 
ଉଦ୍ଦେଶ୍ୟ 
ସ୍ଥାନୀୟ ମଣ୍ଡଳୀର ନେତୃତ୍ଵ ନିମନ୍ତେ ଆତ୍ମବଢିମା ଓ ସ୍ଵୟଂ ଧାରଣାର ବିରୁଦ୍ଧରେ ଚେତାବନୀ ଦେବା ନିମନ୍ତେ, ସତ୍ୟର ଶିକ୍ଷା ଦେଉଥିବା ଶିକ୍ଷକମାନଙ୍କର ଆବଶ୍ୟକତାକୁ ନିଜ ଆବଶ୍ୟକତା ଠାରୁ ଅଧିକ ମହତ୍ଵ ଦେଉଥିବାରୁ ଗାୟଙ୍କୁ ପ୍ରଶଂସା କରିବା ନିମନ୍ତେ (ତୃ. ଯୋହ 5-8), ଦୀୟତ୍ରଫା ନିଜର ଲାଭକୁ ଖ୍ରୀଷ୍ଟଙ୍କ ମଣ୍ଡଳୀଠାରୁ ଅଧିକ ମହତ୍ଵ ଦେବା ବିରୁଦ୍ଧରେ ଚେତାବନୀ ଦେବା ନିମନ୍ତେ (ତୃ. ଯୋହ 9), ଦୀମିତ୍ରୀୟକୁ ଯାତ୍ରା କରୁଥିବା ଏକ ଶିକ୍ଷକ ଏବଂ ଯୋହନଙ୍କ ତୃତୀୟ ପତ୍ର ବାହକ ଭାବରେ ପ୍ରଶଂସା କରିବା ନିମନ୍ତେ (ତୃ. ଯୋହ 12) ନିଜର ପାଠକମାନଙ୍କୁ ଯୋହନ ଶୀଘ୍ର ଭେଟିବା ନିମନ୍ତେ ଆସିବେ ବୋଲି ସୂଚନା ଦେବା ନିମନ୍ତେ (ତୃ. ଯୋହ 14)। 
ବିଷୟବସ୍ତୁ 
ବିଶ୍ଵାସୀମାନଙ୍କର ଆତିଥ୍ୟ 
ରୂପରେଖା 
1. ଉପକ୍ରମ — 1:1-4 
2. ଯାତ୍ରା କରୁଥିବା ସେବକମାନଙ୍କ ନିମନ୍ତେ ଆତିଥ୍ୟ — 1:5-8 
3. ମନ୍ଦତାକୁ ଅଗ୍ରାହ୍ୟ କରି ଉତ୍ତମତାକୁ ଅନୁକରଣ — 1:9-12 
4. ଉପସଂହାର — 1:13-15  
 1
ଅଭିବାଦନ 
 1 ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ।  2 ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।  3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି।  4 ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋହର ଆନନ୍ଦର ଆଉ ବଡ଼ ବିଷୟ ନାହିଁ। 
ସହଯୋଗ ଏବଂ ପ୍ରତିବାଧା 
 5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ।  6 ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ବରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ,  7 ଯେଣୁ ସେମାନେ ଅଣଯିହୁଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି।  8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।  9 ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ।  10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି।  11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ।  12 ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ। 
ଶେଷ ଶୁଭେଚ୍ଛା 
 13 ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ।  14 ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା।  15 ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ।