2
ସ୍ଥାୟୀ ଶାନ୍ତି 
 1 ଆମୋସର ପୁତ୍ର ଯିଶାଇୟ, ଯିହୁଦା ଓ ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ। 
 2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, 
ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; 
ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। 
 3 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, 
“ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; 
ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” 
କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। 
 4 ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ; 
ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; 
ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। 
 5 ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ। 
ସଦାପ୍ରଭୁଙ୍କ ଦିନ 
 6 କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, 
ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, 
ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି। 
 7 ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; 
ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ। 
 8 ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; 
ସେମାନେ ଆପଣାମାନଙ୍କ ଅଙ୍ଗୁଳି ନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି। 
 9 ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ। 
 10 ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, 
ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ। 
 11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, 
ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। 
 12 କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ 
ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ; 
 13 ଅର୍ଥାତ୍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ 
ଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ; 
 14 ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ; 
 15 ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ; 
 16 ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ। 
 17 ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ; 
ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। 
 18 ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ। 
 19 ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, 
ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ। 
 20 ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, 
ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ; 
 21 ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ 
ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ। 
 22 ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷାନ୍ତ ହୁଅ; 
କାରଣ ସେ କାହା ମଧ୍ୟରେ ଗଣ୍ୟ?