15
ମୋୟାବ ପ୍ରତି ଭାବବାଣୀ 
 1 ମୋୟାବ ବିଷୟକ ଭବିଷ୍ୟତବାଣୀ। 
ମୋୟାବର ଆର ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା; 
ଏକ ରାତ୍ରି ମଧ୍ୟରେ ମୋୟାବର କୀର୍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା। 
 2 ସେ ରୋଦନ କରିବା ପାଇଁ ବୈଥତ୍କୁ ଓ ଦୀବୋନ୍କୁ, ଉଚ୍ଚସ୍ଥଳୀକି ଯାଇଅଛି; 
ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; 
ସେହି ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି। 
 3 ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ 
ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି। 
 4 ହିଷ୍ବୋନ ଓ ଇଲୀୟାଲୀ କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ ପର୍ଯ୍ୟନ୍ତ ଶୁଣା ଯାଉଅଛି; 
ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି। 
 5 ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ୍-ଶଲୀଶୀୟାକୁ ପଳାଉଅଛନ୍ତି; 
କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; 
ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି। 
 6 କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, 
ନବୀନ ତୃଣର ଅଭାବ ହେଉଅଛି, ହରିଦ୍ବର୍ଣ୍ଣର କିଛି ହିଁ ନାହିଁ। 
 7 ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ 
ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ। 
 8 କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; 
ତହିଁର ହାହାକାର ଇଗ୍ଲୟିମ୍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍ ପର୍ଯ୍ୟନ୍ତ ଯାଇଅଛି। 
 9 କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ 
ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।