35
ପବିତ୍ରତାର ପଥ 
 1 ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ 
ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ। 
 2 ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; 
ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; 
ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ। 
 3 ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର। 
 4 ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; 
ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, 
ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।” 
 5 ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। 
 6 ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; 
କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। 
 7 ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; 
ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ। 
 8 ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; 
ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; 
ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ। 
 9 ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; 
ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ; 
 10 ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ 
ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; 
ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।